କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରତ୍ୟେକ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ନିରନ୍ତର ଆମ୍ବୁଲାନସ ସେବା ଯୋଗାଇଦିଆଯିବ

ବିମାନ ଯୋଜନାରେ ଏୟାରଷ୍ଟ୍ରିପରେ ମଧ୍ୟ ଆମ୍ବୁଲାନ୍‌ସ ବ୍ୟବସ୍ଥା କରାଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ଆମ୍ବୁଲାନ୍‌ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ  ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଦ୍ବିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନସର ଶୁଭାରମ୍ଭ  କରିଛନ୍ତି।

ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବା ବେଳେ, ଆଜି କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଏହି ସମସ୍ତ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି।

ବର୍ତ୍ତମାନ ସାରା ରାଜ୍ୟରେ ୮୬୬ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚାଲୁଥିବା ବେଳେ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କ ପାଇଁ ‘ଜନନୀ ଏକ୍ସପ୍ରେସ୍’ ନାମରେ ଆଉ ୫୦୦ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ଏହି ଆମ୍ବୁଲାନ୍ସ ସେବାଗୁଡ଼ିକ ରାଜ୍ୟବାସୀଙ୍କ ପାଇଁ ଏକ ଜୀବନରେଖା ଭାବେ କାମ କରୁଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ମୃତ୍ୟୁହାର କମାଇବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ଆମ୍ବୁଲାନ୍ସ ସେବାକୁ ଅଧିକ ସୁଦୃଢ଼ ଏବଂ କାର୍ଯ୍ୟକ୍ଷମ କରିବା ଦିଗରେ ଲଗାତାର ପଦକ୍ଷେପ ନିଆଯାଉଛି। 

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ରାଜ୍ୟର ସବୁ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲ୍ ପର୍ଯ୍ୟନ୍ତ ନିରନ୍ତର ଆମ୍ବୁଲାନ୍‌ସ ସେବା ଜାରି ରଖିବାକୁ ପଦକ୍ଷେପ ନିଆଯାଉଛି। ଏହା ବ୍ୟତୀତ ବିମାନ ଯୋଜନା ମାଧ୍ୟମରେ ରାଉରକେଲା ଓ ଜୟପୁର ପରି ଏୟାରଷ୍ଟ୍ରିପ୍‌ରେ ମଧ୍ୟ ଆମ୍ବୁଲାନ୍‌ସର ସେବା ଯୋଗାଇଦିଆଯିବ।

 ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିମାନବନ୍ଦର ନିମନ୍ତେ ୫ଟି ଆଡ୍‌ଭାନ୍‌ସଡ ଲାଇଫ୍ ସପୋର୍ଟ ବା (ALS)  ଆମ୍ବୁଲାନ୍‌ସ ଏବଂ ଝାରସୁଗୁଡା ସ୍ଥିତ କ୍ୟାନସର ହସ୍ପିଟାଲ ପାଇଁ ୨ଟି ALS ଆମ୍ବୁଲାନସ ବର୍ତ୍ତମାନ ନିୟୋଜିତ ଅଛି। ସାରା ରାଜ୍ୟରେ ଆମ୍ବୁଲାନ୍‌ସ ଜରିଆରେ ଦିନକୁ ହାରାହାରି ୫ ହଜାରରୁ ଅଧିକ ରୋଗୀଙ୍କୁ ସରକାରୀ ହସ୍ପିଟାଲକୁ ନିଆଯାଉଛି।

 ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଏକାମ୍ର ବିଧାୟକ ବାବୁ ସିଂ, ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ବତୀ ଏସ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି ପ୍ରମୁଖ ଉପସ୍ଥିତ ଥିଲେ।